The mentality of enduring. ( ସହିବାର ମାନସିକତା )
ସହିବାର ମାନସିକତା।
ତୃଣ ଭୂଇଁରୁ ଜନ୍ମ । ଭୂଇଁରେ ଲୋଟିଯାଏ । ପୁଣି ସେହି ଭୂଇଁରେ ମିଶିଯାଏ । ତାର ସ୍ଥିତି କଣ ଥାଏ ? ତଥାପି ଦିଅଁ ପୂଜା ବେଳେ ଆମେ ଦୁବ କେରାଏ ନିହାତି ଦରକାର କରୁ । ଦୁବ ତ ଛୋଟ ତାହା ପୁଣି ଦିଅଁ ପୂଜା ରେ ଲାଗୁଛି କେମିତି ? ଏହାର ଭିତରି କଥାଟି ହେଲା –
ଦୁବ ଭଳି ସଂସାରରେ ଦୁଃଖ, କଷ୍ଟ, ସମସ୍ୟା ସହିଥିଲେ ଦିନେ ନା ଦିନେ ଶୁଭ କର୍ମରେ ଲାଗିବ । ବିନା ସମସ୍ୟାରେ କେହି ବଡ ହେଇନି, ଉପରକୁ ଉଠିନି । ନୂଆ ରାହା ଦେଖାଏ, ଦୁବର ଏଇ କଅଁଳିବା ଗୁଣ ହିଁ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ। ଯେତେ ଦୁଃଖ ଆସିଲେବି ତାକୁ ମଥାପାତି ସହିନେବା । ତାହାହେଲେ ଯାଇ ଇଶ୍ୱରଙ୍କ ସେବାରେ ଲାଗିପାରିବା । ଦୁଃଖର କଷଟିରେ ପ୍ରଭୁ ଆମକୁ କଷନ୍ତି । ସେହି ପରୀକ୍ଷାରେ ଆମକୁ ଦୁବ ଭଳି ହେବାକୁ ପଡିବ । ନଇଁ ଯିବାକୁ ହେବ । ତେବେ ଯାଇ ମୁଣ୍ଡ ଟେକିବାର ସୁଯୋଗ ମିଳିବ । ସେଥିପାଇଁ ଶାସ୍ତ୍ର ରେ କୁହାଯାଇଛି- ତୃଣ ଠାରେ ନୀଚ ହେବା । ତନୁ ପରି ସହନଶୀଳ ହେବା । ତେବେଯାଇ ଭଗବାନଙ୍କ ପ୍ରିୟ ହେବା ।
ଦୁଇ ଜଣ ବନ୍ଧୁ ମେଡିକାଲ ରେ ଚିକିତ୍ସା ହେଉଥିଲେ। ଉଭୟଙ୍କ ପ୍ରତିଷ୍ଠା ଥିଲା । ଉପର ସ୍ତରର ବହୁ ଲୋକ ମଧ୍ୟ ଜଣା ଶୁଣା ଥିଲେ । ସମାଜରେ ବହୁଲୋକ ଅଛନ୍ତି ନିଜର ପ୍ରତିଷ୍ଠା, ପଦ-ପଦବୀ ଓ ବ୍ୟକ୍ତିତ୍ବକୁ ନେଇ ଗର୍ବ କରନ୍ତି । ଉଭୟ ସାଙ୍ଗ ଙ୍କ ଭିତରୁ ସେମିତି ଜଣେ ଲୋକ ଥିଲେ । ଚିକିତ୍ସା ବେଳେ ଡାକ୍ତର, ନର୍ସ ଓ ଅନ୍ୟମାନଙ୍କୁ ଧମକ-ଚମକ ଦେଉଥିଲେ । ଟିକିଏ ବିଳମ୍ବ ହେଲେ ଉପର ମହଲକୁ ଫୋନରେ ଯୋଗାଯୋଗ କରୁଥିଲେ କାହାକୁ ବଦଳି କରିବାର ଭୟ ଦେଖାଉଥିଲେ, ତ କାହାକୁ ବାହାର କରିଦେବାର ଧମକ ଦେଉଥିଲେ । ଯେଉଁମାନେ ତାଙ୍କ ସେବା କରୁଥିଲେ ବିରକ୍ତିରେ ସିନା ସେବା କରୁଥିଲେ ; ଆନ୍ତରିକତା ନ ଥିଲା ସେବା ଓ ଦାନରେ । ଆନ୍ତରିକତା ନ ଥିଲେ ତାହା ଆନନ୍ଦ ଦିଏନା କିମ୍ବା ଫଳପ୍ରଦ ହୁଏନା । ତେଣୁ ମେଡିକାଲର କର୍ମଚାରୀ ମାନେ ଆବଶ୍ୟକ ସମୟରେ ହିଁ ତାଙ୍କ ନିକଟକୁ ଆସୁଥିଲେ ଅନ୍ୟ ଜଣେ ବନ୍ଧୁ ଖୁବ୍ ମେଳାପି ଥିଲେ । ନିଜ କ୍ଷମତା ଓ ଯୋଗ୍ୟତା କଥା କାହାରିକୁ କହୁନଥିଲେ । କର୍ମଚାରୀ ମାନଙ୍କର କିଛି ଭୁଲ ହେଲେ ସେଥିପାଇଁ ସେମାନଙ୍କୁ ଦୋଷ ଦେଉନଥିଲେ । ନିଜକୁ ଦାୟୀ କରୁଥିଲେ ସହିବାର ଗୁଣଟି ତାଙ୍କ ପାଖରେ ଅନେକ ସମୟରେ ରହୁଥିଲେ । ହସି ହସି କଥା କହୁଥିଲେ । ଅସଲ କଥାଟି ହେଲା – ‘ମୁଁ ବଡ’ ଏହି କଥାଟି ମଣିଷକୁ ଛୋଟ କରିଦିଏ । ‘ମୁଁ ଛୋଟ’ ଏହି କଥାଟି ମଣିଷକୁ ବଡ କରିଦିଏ । ‘ମୁଁ ଛୋଟ’ ଏମିତି ଭାବନାରେ ଅନେକ ସମୟରେ ଦୁଃଖ ରହିଛି ।
Comments
Post a Comment