Budhi Asuruni Katha (ବୁଢ଼ୀ ଅସୁରୁଣୀ କଥା)
ବୁଢ଼ୀ ଅସୁରୁଣୀ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ ଚାରି ସଙ୍ଗାତ। ଚାରିହେଁଯାକ ବାହାରିଲେ ବିଦେଶ କରି। ଘୋଡ଼ାଶାଳରୁ ବାଛି ବାଛି ଚାରି ଘୋଡ଼ା ନେଲେ, ପାଗ ପଟୁକା ବାନ୍ଧି ଟଙ୍କା ଟୋକର କିଛି ଧଇଲେ, ଗଲେ। ଯାଇ ଯାଇ ଉଦୁଉଦିଆ ଖରାବେଳେ ଏକ ନଈକୂଳେ ପହଞ୍ଚିଲେ, ସେଠେଇ ଗାଧୁଆ ପାଧୁଆ କଲେ, କହିଲେ, ଏଠେଇ ରନ୍ଧାବଢ଼ା କରିବା, ଖରା ବରଷା ପାଳିବା । ଛାଇ ଲେଉଟିଲାରୁ ଆମ ରାହା ଆମେ ଧରିବା।” ରଜାପୁଅକୁ ପଠେଇଲେ, କହିଲେ, ‘ଆର ପାରିରେ ଘର ଦିଶୁଚି, ସେଠଠୁ ନିଆଁ ଆଣିଲେ ଚୁଲିରେ କୁହୁଳା ପକେଇବା। ରଜାପୁଅ ଯାଇ ପହଞ୍ଚିଲା ସେଘରେ ଦେଖିଲାବେଳକୁ ଏକ ବୁଢ଼ୀ ଅସୁରୁଣୀ ଗୋଡ଼ ଦି’ଟା ଚୁଲିରେ ମୁର୍ତି ଦେଇଚି; ମୁଣ୍ଡ ମୁକୁଳା, ମୁହଁଯାକ ମାଛି ଭଣ ଭଣ ବେହୁଛନ୍ତି, ଚୁଲି ଉପରେ ଏଣେ ହାଣ୍ଡିଟିଏ ବସେଇଦେଇଚି, ବସିଚି। ରଜାପୁଅ ମାଗିଲା, ‘ବୁଢ଼ୀ ମାଉସୀ ! ନିଆଁ ଟିକିଏ ଦେଏନି।’ ବୁଢ଼ୀ କହିଲା, ‘ଆରେ ପୁତ, ମୋ ବଳ ବଅସ ତ ଗଲାଣି, ମୋ ଆଖୁ ଦିଶୁନାଇଁ; ଚୁଲିମୁଣ୍ଡରୁ ଆସି ନିଆଁ ଟିକିଏ ନେଇ ଯା।’ ରଜାପୁଅ ଚୁଲିମୁଣ୍ଡରୁ ନିଆଁ ଆଣିବାକୁ ନଇଁପଡ଼ିଲାରୁ ବୁଢ଼ୀ କ’ଣ କଲା, ବେଳମୁଣ୍ଡରେ ଧରି ପଛଆଡ଼େ ଗାତ ଥାଏ ଯେ, ସେ ଗାତରେ ମାଡ଼ିଦେଲା। ରଜାପୁଅ ଅଣଆୟର ହେଇ ରହିଲା। ତିନି ସଙ୍ଗା...